ଗଳ୍ପ : କପିଚାଷ ( ରମ୍ଯ ରଚନା )

ଗଳ୍ପ : କପିଚାଷ ( ରମ୍ଯ ରଚନା )

ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ . ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ” . କିନ୍ତୁ ପ୍ରଶ୍ନପତ୍ରରେ ଫ ର ଫଳାଟି ଝାପ୍ସା ହୋଇଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ” …. ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖିଦେଇଥିଲା ଯାହା ପରୀକ୍ଷକଙ୍କୁ
ଆଶ୍ଚର୍ଯ୍ୟ କରିଥିଲା .

ସେ ଯାହା ଲେଖିଥିଲା ….
କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ . ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ . ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ .

ଏହା ବର୍ଷରେ ଦୁଇଥର ଚାଷ କରାଯାଏ . ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ .

ଜଳବାୟୁ : – ଏହା ସାଧାରଣତଃ ପରୀକ୍ଷା ସମୟରେ ମନବ୍ଯସ୍ତଥିବା ଜଳବାୟୁରେ ଚାଷ କରାଯାଇଥାଏ …. ଏହାକୁ ବିଶେଷତଃ ଅଣମେଧାବୀ ଛାତ୍ରମାନେ ଚାଷ କରିଥାନ୍ତି .
ବର୍ଷସାରା ସ୍କୁଲରେ ଅଧ୍ୟୟନ କରି ଟ୍ଯୁସନ୍ କରି ମେଧାବୀ ଛାତ୍ରମାନେ ଯେଉଁଫଳ ପାଆନ୍ତି ତା ଠାରୁ ଅଧିକ ଫଳ ଅଳ୍ପ ପରିଶ୍ରମରେ ଏହି କପିଚାଷ ଦ୍ବାରା ମିଳିଥାଏ .

ବିହନ: – ଏହାର ଅନେକ କିସମର ବିହନ ମିଳିଥାଏ . ଯଥା ଟେଷ୍ଟପେପରିଆ … ପସିବୁଲିଆ … ଚିରକୁଟିଆ … ହାତଟିପା ଇତ୍ୟାଦି .

ବିହନ ସଂରକ୍ଷଣ : – ଏହି ବିହନର ଅନେକ ଶତ୍ରୁ ଅଛନ୍ତି . ଏହାର ଉପଯୁକ୍ତ ସଂରକ୍ଷଣ ନକଲେ ଏହାକୁ କୀଟ ଖାଇଯାଆନ୍ତି . ଏହାର ପ୍ରଧାନ ଶତ୍ରୁ ହେଲା … ପରୀକ୍ଷକ .. ଇନ୍ ଭିଜିଲେଟର୍ … କ୍ଲାସ୍ ଟିଚର୍ ଓ ହେଟାମୁଣ୍ଡିଆ ବୁଢା ହେଡ୍ ମାଷ୍ଟର . ବେଳେ ବେଳେ Squard କୀଟ ଲାଗିଗଲେ ଏହାକୁ ସମୂଳେ ନଷ୍ଟ କରିଦିଅନ୍ତି . ଏଣୁ ଏହାର ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ . ସାଧାରଣତଃ ଏହାକୁ Shirt କଲର୍ ଭିତରେ .. ହାତ Folding ଭିତରେ .. ବେଲଟ୍ ତଳ .. ମୋଜା ଭିତର ସ୍ଥାନରେ ଏହି କପି ବିହନକୁ ସଂରକ୍ଷଣ କରାଯାଇଥାଏ .

ଲାଭ :- ବର୍ଷସାରା ବୁଲି .. ପଢାପଢି ନକରି ଏହି ଚାଷ ଦ୍ବାରା ପ୍ରଚୁର ଲାଭବାନ ହେବାର ଅନେକ ଦୃଷ୍ଟାନ୍ତ ରହିଛି .

ଏହି ଚାଷରେ ଲାଭ ଯେତିକି ବିପଦ ବି ସେତିକି . ଅତି ସନ୍ତର୍ପଣରେ ଏହି ଚାଷ କରିନପାରିଲେ ଏହାର ଶତ୍ରୁମାନେ ଏହାକୁ ଛାରଖାର୍ କରିବା ସହିତ ଚାଷୀଙ୍କୁ ବରବାଦ୍ କରିଦେଇଥାଆନ୍ତି ଓ ବେଳେ ବେଳେ ଚାଷୀ କିଛି ଫଳ ଆମଦାନୀ କରି ନପାରି ଆତ୍ମହତ୍ୟା କରିଥିବାର ବି ଦେଖାଯାଇଥାଏ .

ପରୀକ୍ଷକ ରଚନାଟି ପଢିସାରି କେତେ ମାର୍କ ଦେବେ ଚିନ୍ତା କରୁ କରୁ ଭାବିଲେ ଅନ୍ତତଃ ପିଲାଟି ଏଇ ରଚନାଟି କପି ନକରି ମନରୁ ଲେଖିଛି .

Leave a Reply